ଏଣିକି କିଣାବିକା ହୋଇପାରିବ ଆପାର୍ଟମେଣ୍ଟ

ଗେଜେଟରେ ପ୍ରକାଶ ପାଇଛି ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩ । ଏହି ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ଅନୁମୋଦନ ମିିଳିବା ପରେ ରାଜ୍ୟ ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି । ପୂର୍ବରୁ ବିଲଡରମାନେ କମନ ଏରିଆ ଉପରେ ଅଧିକାର ଜାହିର କରୁଥିବାବେଳେ ଏହାକୁ ନେଇ ବାଦବିବାଦ ଦେଖାଦେଇଥିଲା । ମାମଲା ଯାଇଥିଲା ହାଇକୋର୍ଟ । ଆପାର୍ଟମେଣ୍ଟ ପଂଜିକରଣ ଉପରେ ରୋକ ଲାଗିଥିଲା । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨’ ଉଚ୍ଛେଦ କରିଥିଲେ । ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୨୦୨୩’ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତିନେଇଥିଲେ ରାଜ୍ୟ ସରକାର ।  ଆପାର୍ଟମେଣ୍ଟ ରେ ଫ୍ଲାଟ ମାଲିକଙ୍କୁ କମନ ଏରିଆର ମାଲିକାନା ଅଧିକାର ମିଳିବ । ସର୍ବସାଧାରଣଙ୍କ ପାଇଁ ଆପାର୍ଟମେଣ୍ଟ ରେ ସଂରକ୍ଷିତ ଥିବା ସ୍ଥାନ ଉପରେ ବିଲଡର ଅଧିକାର ଜାହିର କରିପାରିବେ ନାହିଁ ।  ଆପାର୍ଟମେଣ୍ଟ ର କମନ୍ ଏରିଆ ମାଲିକ ସଂଘ ନାଁରେ ପଞ୍ଜିକୃତ ହୋଇପାରିବ । ପୂର୍ବରୁ ବିଲଡରମାନେ କମନ ଏରିଆ ଉପରେ ଅଧିକାର ଜାହିର କରୁଥିଲେ । ଏହାକୁ ନେଇ ବାଦବିବାଦ ଦେଖାଦେଇଥିଲା । ଓଡ଼ିଶାରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏହି ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା । ଏହି ଅଧ୍ୟାଦେଶ ଆପାର୍ଟମେଣ୍ଟ କ୍ଷେତ୍ରରେ ଲାଗୁହେବ । ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩, ଗତ ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯାଇଥିଲା । ତେବେ ଅଧିବେଶନର ଶେଷ ଦିନରେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ ରାଜ୍ୟ ସରକାର । ପରେ ଏ ନେଇ ଏକ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରି ଦେଇଥିଲା ଏବଂ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠା ଯାଇଥିଲା । ରାଜ୍ୟପାଳଙ୍କ ଅନୁମୋଦନ ପାଇବା ପରେ ଜୁନ ୨୮ ତାରିଖରେ ସର୍ବସାଧାରଣଙ୍କ ସୂଚନା ପାଇଁ ଆଇନ ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ଗେଜେଟରେ ପ୍ରକାଶ ପାଇଛି । ଏହା ଫଳରେ ଆପାର୍ଟମେଣ୍ଟ ରେ ଫ୍ଲାଟ ମାଲିକଙ୍କୁ କମନ ଏରିଆର ମାଲିକାନା ଅଧିକାର ମିଳିବ । ସର୍ବସାଧାରଣଙ୍କ ପାଇଁ ଆପାର୍ଟମେଣ୍ଟ ରେ ସଂରକ୍ଷିତ ଥିବା ସ୍ଥାନ ଉପରେ ବିଲଡରମାନେ ଅଧିକାର ଜାହିର କରିପାରିବେ ନାହିଁ । ଆପାର୍ଟମେଣ୍ଟ ର କମନ୍ ଏରିଆ ଯଥା-ଷ୍ଟେୟାର୍ କେସ୍, ଖେଳ ପଡିଆ, ପାର୍କିଂ, ସୁଇମିଂ ପୁଲ୍ ଆଦି ସ୍ଥାନ ମାଲିକ ସଂଘ ନାଁରେ ପଞ୍ଜିକୃତ ହୋଇପାରିବ ।