‘ବିଜୟ ଦିବସ’ରେ ମନେ ପଡେ ପାକିସ୍ତାନର ପରାଜୟ
୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ । ଆଜି ବି ସ୍ମୃତି ତାଜା ହୋଇ ରହିଛି । ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି। ସ୍ୱାଧୀନ ବାଂଲାଦେଶ ଗଠନ ପାଇଁ ହିଁ ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଏହାର ମୁଖ୍ୟ କାରଣ ହେଉଛି ବାଂଲାଦେଶର ନେତାଙ୍କୁ ପାକିସ୍ତାନ ନେତାମାନେ ପସନ୍ଦ କରୁନଥିଲେ ।
ବାଂଲାଦେଶ ଦିନେ ପୂର୍ବ-ପାକିସ୍ତାନ ନାମରେ ପରିଚିତ ଥିଲା। ପାକିସ୍ତାନର ଗୋଟିଏ ଅଂଶ ଭାବେ ଏହା ଭାରତର ପୂର୍ବ ଭାଗରେ ଅବସ୍ଥିତ ଥିଲା। ୧୯୭୦ ମସିହାରେ ପାକିସ୍ତାନରେ ସଂସଦର ନିର୍ବାଚନ ହୋଇଥିଲା। ସେ ସମୟରେ ପାକିସ୍ତାନର ସଂସଦର ମୋଟ୍ ସିଟ୍ ସଂଖ୍ୟା ଥିଲା ୩୧୩। ଏହା ମଧ୍ୟରୁ ପୂର୍ବ ପାକିସ୍ତାନରେ ୧୬୭ଟି ସିଟ୍ ଓ ପଶ୍ଚିମ ପାକିସ୍ତାନରେ ୧୪୬ଟି ସିଟ୍ ରହିଥିଲା। ପୂର୍ବ ପାକିସ୍ତାନରେ ହୋଇଥିବା ନିର୍ବାଚନରେ ଆବାମୀ ଲିଗ ୧୬୯ଟି ସିଟରୁ ୧୬୭ଟି ହାସଲ କରିଥିଲା। ଆବାମୀ ଲିଗକୁ ପାକିସ୍ତାନ ସଂସଦରେ ୧୬୭ଟି ସିଟ୍ ଜିତିବା ଦ୍ୱାରା ସରକାର ଗଠନ କରିବା ପାଇଁ ପୂର୍ଣ୍ଣ ବହୁମତ ହାସଲ କରିପାରିଥିଲା। ଏହାପରେ ଆବାମୀ ଲିଗର ନେତା ଶେଖ୍ ମୁଜିବୁର ରେହମାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ପଶ୍ଚିମ ପାକିସ୍ତାନ ନେତାମାନଙ୍କ ଏହା ପାଇଁ ଅସହ୍ୟ ହୋଇପଡ଼ିଥିଲା। ଶେଖ୍ ମୁଜିବୁର ଜଣେ ପୂର୍ବ ପାକିସ୍ତାନ ନେତା ହୋଇଥିବାରୁ ପଶ୍ଚିମ ପାକିସ୍ତାନର ନେତା ତାଙ୍କୁ ବିଲକୁଲ୍ ପସନ୍ଦ କରୁନଥିଲେ। ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ଚକ୍ରାନ୍ତ କରିବା ଆରମ୍ଭ କରିଦେଇଥିଲେ ପଶ୍ଚିମ ପାକିସ୍ତାନ ନେତା। ଏହାପରେ ଏହି ଘଟଣାକୁ ନେଇ ପୂର୍ବ ପାକିସ୍ତାନରେ ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଇଥିଲେ। ସାଧାରଣ ଜନତାଠୁ ଆରମ୍ଭ କରି ଆବାମୀ ଲିଗର କର୍ମୀମାନେ ସମସ୍ତେ ରାସ୍ତା ଉପରକୁ ଉଠିଆସି ଆନ୍ଦୋଳନ କରିବାରେ ଲାଗିପଡ଼ିଲେ। ଏହାପରେ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ପାକିସ୍ତାନର ସେନାଙ୍କୁ ନିର୍ଦ୍ଦେଶ ଦିଆଗଲା। ଆନ୍ଦୋଳନକୁ ବନ୍ଦ କରିବା ପାଇଁ ପାକିସ୍ତାନୀ ସେନା ଆନ୍ଦୋଳନକାରୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲା। ଏହାପରେ ପୂର୍ବ ପାକିସ୍ତାନର ଅନେକ ଲୋକ ପାକିସ୍ତାନୀ ସେନା ହାତରେ ମୃତ୍ୟୁ ବରଣ କଲେ। ବାଂଲାଦେଶର ଆନ୍ଦୋଳନକୁ ଭାରତ ସହଯୋଗ କରୁଥିବା ପାକିସ୍ତାନ ଅଭିଯୋଗ କରି ହଠାତ୍ ୧୯୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନର ବାୟୁସେନା ଭାରତ ଉପରେ ଆକ୍ରମଣ କରିଥିଲା। ଏହାପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଦୀର୍ଘ ୧୩ ଦିନର ଘମାସନ ଯୁଦ୍ଧ ପରେ ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ଭାରତୀୟ ସେନା ଆଗରେ ଆତ୍ମସମର୍ପଣ କରିଥିଲା ପାକିସ୍ତାନ ସେନା।
ବାଂଲାଦେଶକୁ ପାକିସ୍ତାନଠାରୁ ଅଲଗା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତ। ଭାରତ ସାହାଯ୍ୟରେ ହିଁ ସ୍ୱାଧୀନ ବାଂଲାଦେଶ ରାଷ୍ଟ୍ର ଗଠନ ସମ୍ଭବପର ହୋଇଥିଲା।