ଆଜି ଶିଶୁ ଦିବସ, ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳନ ହେଉଛି  । ଶିଶୁଙ୍କ ଅଧିକାର, ଶିକ୍ଷା ଓ ମଙ୍ଗଳ ପାଇଁ ଅନକେ ସ୍ବପ୍ନ ଦେଖିଥିଲେ ନେହରୁ । ତେଣୁ ଆଜି ଦିନକୁ ବିଭିନ୍ନ ସ୍ଥାନରେ ଉତ୍ସବ ଭାବେ ପାଳନ ହେଉଛି । ଶିଶୁମାନଙ୍କୁ ପଣ୍ଡିତ ଜବାହରଲାଲ ନେହରୁ ବହୁତ ଶ୍ରଦ୍ଧା କରୁଥିଲେ। ପିଲାମାନଙ୍କୁ ଈଶ୍ବରଙ୍କ ରୂପ ମନେ କରୁଥିଲେ। ଶିଶୁମାନଙ୍କ ସହ ନେହେରୁ ସମୟ ଅତିବାହିତ କରିବାକୁ ଭଲ ପାଉଥିଲେ  । ସବୁବେଳେ ପିଲାମାନଙ୍କର ସଂସ୍କାର ଓ ଉତ୍ତମ ଶିକ୍ଷା ଉପରେ ଧ୍ୟାନ ଦେବାକୁ କହୁଥିଲେ ନେହେରୁ  । ଦେଶର ଆଗାମୀ ପିଢ଼ି ଶିଶୁ ହୋଇଥିବାରୁ ତାଙ୍କର ଯତ୍ନ ନେବାକୁ କହୁଥିଲେ ନେହରୁ ।

ତେଣୁ ଦେଶମାତୃକାର ନିର୍ମାଣରେ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଗ୍ରଗତିର ଆବଶ୍ୟକତା ରହିଥିବା ନେଇ ନେହେରୁ ସଦାସର୍ବଦା ଧ୍ୟାନ ଦେଇ ଆସୁଥିଲେ । ଶିଶୁମାନେ ଶାରିରୀକ ଓ ମାନସିକ ସ୍ତରରେ କିପରି ପରିପୃଷ୍ଟ ହେବେ ସେ ନେଇ ସେ ଆହ୍ୱାନ କରି ଆସୁଥିଲେ । ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା ।

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆହ୍ଲାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମୋତିଲାଲ ନେହରୁ ଓ ମାତାଙ୍କ ନାମ ସ୍ୱରୂପାରାଣୀ ଥିଲା। ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୬୪ ମସିହା ମଇ ମାସ ୨୭ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ନେହେରୁଙ୍କ ଦେହାନ୍ତ ପରେ ପିଲାଙ୍କ ପ୍ରତି ତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ତାଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ସଂସଦରେ ପ୍ରସ୍ତାବ ପାରିତ କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ୧୯୬୫ରେ ଶିଶୁ ଦିବସ ପାଳନ କରାଯାଇଥିଲା।

ଦେଶ ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି କଥା କହୁଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ସ୍ନେହରେ ‘ଚାଚା ନେହେରୁ’ ବୋଲି ଡାକୁଥିଲେ।। ତାଙ୍କ ମତରେ ‘ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ’ । ତେଣୁ ଭବିଷ୍ୟତର ନାଗରିକମାନଙ୍କ ଶିକ୍ଷା ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ ।

ଆଜି ଗାଁରୁ ଦିଲ୍ଲୀ ସବୁଠି ଶିଶୁ ଦିବସ ପାଳନ କରାଯାଉଛି । ସବୁଠାରେ ନେହରୁଙ୍କୁ ସ୍ମରଣ କରାଯାଉଛି । ଏହି ଦିନ ସ୍କୁଲ୍‌ଗୁଡ଼ିକରେ ପିଲାମାନଙ୍କୁ ଚକଲେଟ୍, ମିଠା ଆଦି ବଣ୍ଟା ଯାଉଛି । ବିଜ୍ଞାନ ମେଳା ଆୟୋଜିତ ହେଉଛି ।